

କୌଣସି ଦେଶ ଆଗକୁ ଅଗ୍ରଗତି କରିବା ପାଇଁ ନିଜର ଅର୍ଥନୀତିକୁ ସୁଦୃଢ କରିଥାଏ। ଗତ ୨୫ ବର୍ଷ ହେଲା ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ଆଗ ବଢିବାରେ ଲାଗିଛି, ଯାହାର ପରିଣାମ ଆଜି ଭାରତ ବିଶ୍ୱର ୫ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଓ ଆଗାମୀ କିଛି ବର୍ଷରେ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବା ପାଇଁ ପ୍ରସ୍ତୁତି ପୂରା କରିଛି। କିନ୍ତୁ ବିଶ୍ୱରେ ଏମିତି କେତେକ ଦେଶ ଅଛନ୍ତି, ଯେଉଁମାନେ ଅର୍ଥନୀତି ବଦଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସିଛନ୍ତି। ଏହି ଦେଶଙ୍କ ସୂଚୀରେ ପାକିସ୍ତାନ ଏବେ ବିଶ୍ଵରେ ୧ ନମ୍ବର ସ୍ଥାନରେ ସ୍ଥାନିତ।
ବିଗତ ଦୁଇ ଦଶନ୍ଧି ହେଲା ଭାରତ ଦ୍ରୁତ ବିକାଶ କରି ଚାଲିଥିବାବେଳେ ପାକିସ୍ତାନ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲାଗି ରହିଲା। ଫଳରେ ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଥିବା ବେଳେ ଲୋକେ ମୂଲ୍ୟବୃଦ୍ଧିର ଶିକାର ହୋଇ ଖାଇବାକୁ ପାଉନାହାନ୍ତି। ପାକିସ୍ତାନ ସବୁବେଳେ ଏପରି ସ୍ଥିତିରେ ନଥିଲା। ଏକଦା ପାକିସ୍ତାନର ପ୍ରତି ବ୍ୟକ୍ତି ଆୟ ଭାରତ ଠାରୁ ମଧ୍ୟ ଅଧିକ ଥିଲା। ହେଲେ ଏବେ ପାକିସ୍ତାନ କୌଣସି ପ୍ରକାରେ ବି ଭାରତର ମୁକାବିଲା କରିବାକୁ ଅକ୍ଷମ। ଭାରତର ଅର୍ଥନୀତି ମଜଭୁତ ହୋଇସାରିଥିବା ବେଳେ ପାକିସ୍ତାନ ଋଣରେ ବୁଡି ଯାଇଛି।
ପାକିସ୍ତାନ ସବୁ କ୍ଷେତ୍ରରେ ଏବେ ଭାରତ ଠାରୁ ପଛେଇବାରେ ଲାଗିଛି। ୨୦୦୦ ମସିହା ବେଳକୁ ଭାରତ ଓ ପାକିସ୍ତାନର ସ୍ଥିତି ସମାନ ଥିଲା, ଉଭୟ ଦେଶଙ୍କ ଆର୍ଥିକ ସ୍ଥିତି ଏକା ଭଳି ଥିଲା । ହେଲେ ପାକିସ୍ତାନ ଲଗାତାର ପଛେଇ ଯାଇଥିବାବେଳେ ଭାରତ ଢେର ଆଗକୁ ବଢିଯାଇଛି। ଏବେ ପାକିସ୍ତାନକୁ ଭାରତ ଆର୍ଥିକ, ସାମାଜିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଯଥେଷ୍ଟ ପଛରେ ପକେଇଦେଇଛି। ତେବେ ପାକିସ୍ତାନ ନିଜର ଦୁର୍ଦ୍ଦଶା ପାଇଁ ନିଜେ ଦାୟୀ।
ପାକିସ୍ତାନର ଆର୍ଥିକ ଦୂରାବସ୍ଥା ପାଇଁ ଅନେକ କାରଣ ରହିଛି। ଏଥିରେ ନୀତିଗତ ଅସଫଳତା, ରାଜନୈତିକ ଅସ୍ଥିରତା ଓ ଭୂ-ରାଜନୈତିକ ଭୁଲ ମଧ୍ୟ ରହିଛି। ଗତ ଦୁଇ ଦଶନ୍ଧୀରେ ପାକିସ୍ତାନ ଶାସନ ସେନା ହାତକୁ ଯାଇଛି, ସରକାର ଅସ୍ଥିର ହୋଇଛନ୍ତି। ଦେଶରେ ଆତଙ୍କବାଦ ସଙ୍ଗଠନଙ୍କୁ ପ୍ରୋତ୍ସାହନ ଦେବାର ନୀତି ବିଦେଶୀ ନିବେଶକୁ ହତୋତ୍ସାହିତ କରିଛି। ଫଳରେ ପାକିସ୍ତାନରୁ ନିବେଶ ଫେରି ଯାଇଛି। ତବେ ଏହି ସମୟରେ ଭାରତ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରି ଦେଶର ଶାନ୍ତି ସ୍ଥାପନା କରିଛି। ଫଳରେ ବୈଶ୍ୱିକ ସ୍ତରରେ ଭାରତ ପ୍ରତି ବିଶ୍ୱାସ ବଢିଥିବା ବେଳେ ନିବେଶ ବୃଦ୍ଧି ହୋଇଛି।
ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ ଓ ଚୀନ୍ ଠାରୁ ବ୍ୟାପକ ଋଣ କରିଛି। ୨୦୨୫ରେ ପାକିସ୍ତାନର ଋଣ ପରିମାଣ ଏହାର ଜିଡିପିର ୯୧%କୁ ପାର କରିଯାଇଛି। ତେବେ ଏହି ସମୟରେ ଭାରତ ଋଣକୁ ନିୟନ୍ତ୍ରିତ କରିଛି। ଏହି ସମୟରେ ଭାରତର ଋଣ ହାର ଏହାର ଏହାର ଜିଡିପିର ୬୪%କୁ ହ୍ରାସ ହୋଇଛି। ଏଥିରେ ପାକିସ୍ତାନର ଉଦ୍ୟୋଗ ଦେବାଳିଆ ହୋଇପଡିଥିବା ବେଳେ ବଡ଼ ବ୍ୟବସାୟୀ ଦେଶ ଛାଡୁଛନ୍ତି। ଅନ୍ୟପଟେ ଭାରତ ମେନୁଫେକ୍ଚରିଂ ଓ ଟେକ୍ କ୍ଷେତ୍ରରେ ନିବେଶ ଆକର୍ଷିତ କରିଛି।
୧୯୯୧ ମସିହାରେ ଭାରତ ଆର୍ଥିକ ଉଦାରୀକରଣ ଆରମ୍ଭ କରିଥିଲା। ଫଳରେ ବିଦେଶ ବ୍ୟବସାୟ ନେଇଥିବା ବାଧା ଦୂର ହୋଇଥିଲା। ଏଥିରେ ବିଦେଶୀ ନିବେଶ ଦେଶକୁ ଆକର୍ଷିତ ହୋଇଥିବା ବେଳେ ଘରୋଇ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଛି। ଫଳରେ ରପ୍ତାନୀ ବୃଦ୍ଧି ହୋଇଥିବା ବେଳେ ବୈଦେଶିକ ମୁଦ୍ରାଭଣ୍ଡାର ମଜଭୁତ ହୋଇଛି। ଏହା ଛଡା ଭାରତ ଗତ ଦୁଇ ଦଶନ୍ଧି ହେଲା ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ନିବେଶ କରୁଛି। ଫଳରେ ଦେଶରେ ଏକ ବଡ଼ ୱାର୍କଫୋର୍ସ ବିକଶିତ ହୋଇପାରିଛି। ୨୦୨୫ରେ ଭାରତର ସାକ୍ଷରତା ହାର ୮୦%କୁ ପହଞ୍ଚିଥିବା ବେଳେ ପାକିସ୍ତାନର ସାକ୍ଷରତା ହାର ୬୦ ପ୍ରତିଶତରୁ ବି କମ ରହିଛି।