


ରିପୋର୍ଟ – ଜବାହର ମିଶ୍ର
………………………………
ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ରେ ଫ୍ଲଡ୍ ଲାଇଟ୍ ଦେଲା ଧୋକା। କିନ୍ତୁ “ବିଜୟ ର ସମ୍ଭାବନା” ଭାରତକୁ ଧୋକା ଦେଲାନାହିଁ । ୪୪. ୩ ଓଭରର ପରିଶ୍ରମ ପରେ “ବିଜୟ” ଆସି ଭାରତକୁ ବଡ଼ ନିବିଡତାର ସହିତ କୋଳାଗ୍ରତ କଲା।
ଖଚାଖଚ୍ ଦର୍ଶକାରଣ୍ୟରେ ପରିପୂର୍ଣ୍ଣ କଟକର ବାରବାଟୀ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚ୍ ରେ ଭାରତ ତାହାର ଜବରଦସ୍ତ ବ୍ୟାଟିଙ୍ଗ ଶକ୍ତି ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ୪ ଉଇକେଟରେ ଧରାଶାୟୀ କରି ସିରିଜରେ ଅପରାଜୟ ୨-୦ ରେ ଅଗ୍ରଣୀ ହାସଲ କରିଛି।ଏହା ସହିତ ଭାରତ ଏହି ତିନିଟିକିଆ ଏକ ଦିବସୀୟ ଶୃଙ୍ଖଳା ବିଜୟୀ ହୋଇଛି
ଉଲ୍ଲେଖନୀୟ ଯେ ଭାରତ ତାହାର ବ୍ୟାଟିଙ୍ଗ ଆରମ୍ଭର ୬ ଷ୍ଠ ଓଭର ପରେ ଅକସ୍ମାତ ପାଓ୍ଵାର୍ କଟ୍ ର ସମ୍ମୁଖୀନ ହେଇଥିଲା। ପ୍ରାୟ ୨୮ ମିନିଟ୍ ଯାଏ ସମଗ୍ର ଷ୍ଟାଡିୟମରେ ଅନ୍ଧକାରଭରା ରଜନୀ ରାଜତ୍ଵ କରିଥିଲା। ଏହା ପରେ ପୁନର୍ବାର ଆଲୋକର ବନ୍ୟା ପ୍ରବାହିତ ହୋଇ ଖେଳ ଆରମ୍ଭ ହୋଇଥିଲା ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଙ୍ଗ୍ସର ବଳ ବିକ୍ରମରେ ଭାରତ ଏକ ପ୍ରକାର ସହଜସାଧ୍ୟ ବିଜୟ ହାସଲ କରିଥିଲା। ରୋହିତ ତାଙ୍କର ଏହି ଦମଦାର ଶତକ ଲାଗି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ।
ଟିମ୍ ଇଣ୍ଡିଆ ୩୩ ବଲ ବାକି ଥାଇ ବାରବାଟୀରେ ଇଂଲଣ୍ଡକୁ ଧୂଳି ଚଟାଇଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଧୂଆଁଧାର ଶତକ ହାସଲ କରିଛନ୍ତି । ସେ ୯୦ ବଲରେ ୧୧୯ ରନର ପାଳି ଖେଳି ଆଉଟ ହୋଇଛନ୍ତି ।ବାରବାଟୀ ବିଜୟ ସହ ଟିମ୍ ଇଣ୍ଡିଆ ୩ ମ୍ଯାଚ ବିଶିଷ୍ଟ ସିରିଜକୁ ୨-୦ ଅଗ୍ରଣୀ ହାସଲ କରି ସିରିଜ ମଧ୍ଯ ବିଜୟୀ ହୋଇଛି । ଗୋଟିଏ ମ୍ଯାଚ ପୂର୍ବରୁ ସିରିଜ ଜିତି ନେଇଛି ଟିମ୍ ଇଣ୍ଡିଆ । ସିରିଜର ଆଗାମୀ ମ୍ଯାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।
ରୋହିତଙ୍କ ଫର୍ମ ଫେରି ପାଇବା ଓ ଭାରତର ଏ ବିଜୟ ଆଗାମୀ ୧୯ ତାରିଖରେ ଆରମ୍ଭ ହେବାକୁ ଚାମ୍ପିୟାନ୍ସ ଟ୍ରଫି ପାଇଁ ଶୁଭ ସଂକେତ । ଆଜିର ମ୍ଯାଚରେ ରୋହିତ ଶର୍ମା ପ୍ଲେୟାର ଅପ ଦି ମ୍ଯାଚ ବିବେଚିତ ହୋଇଛନ୍ତି ନିଜର ଦମଦାର ବ୍ଯାଟିଂ ପାଇଁ ।
ଟିମ୍ ଇଣ୍ଡିଆର ଅଧିନାୟକ ତଥା ହିଟମ୍ୟାନ ମାତ୍ର ୯୦ ବଲରେ ୧୧୯ ରନର ବିସ୍ପୋରକ ପାଳି ଖେଳିଥିଲେ । ଯେଉଁଥିରେ ୧୨ ଚୌକା ଓ ୭ ଚୌକା ସାମିଲ ରହିଛି । ଇଂଲଣ୍ଡର ୩୦୫ ରନର ପଶ୍ଚାତଧାବନ କରି ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ଯୋଡି ରୋହିତ- ଗିଲ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ । ଷ୍ଟାଇଲିସ ବ୍ଯାଟର ଶୁଭମନ ଗିଲ ୫୨ ବଲରେ ୬୦ ରନର ପାଳି ଖେଳି ପ୍ଯାଭିଲିୟନ ଫେରିଥିଲେ ।
ଏହାବାଦ ଶ୍ରେୟସ ଆୟର, ଅକ୍ଷର ପଟେଲ, କେ.ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ଯା ଯଥାକ୍ରମେ ୪୪, ୪୧ , ୧୦,୧୦ ରନ କରିଥିଲେ । ଯାହା ଫଳରେ ଭାରତ ୪୪.୩ ଓଭରରେ ମ୍ଯାଚ ଜିତି ନେଇଛି । ମାତ୍ର ବାରବାଟୀରେ ବିରାଟ ନିରାଶ କରିଥିଲେ । କିଙ୍ଗ କୋହଲି ମାତ୍ର ୫ ରନ କରି ଡ୍ରେସିଂ ରୁମ୍ ଫେରିଥିଲେ । ଆଦିଲ ରସିଦଙ୍କ ବଲରେ ପୁଣିଥରେ ବିରାଟ ଆଉଟ ହୋଇଥିଲେ । ସେହିଭଳି ଜାଡେଜା ୧୧ ରନର ପାଳି ଖେଳିଥିଲେ ।
ପ୍ରକାଶଥାଉ ଯେ, ଭାରତ- ଇଂଲଣ୍ଡ ମଧ୍ଯରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆ ସାମ୍ନାରେ ୩୦୫ ରନ୍ ର ବିଶାଳ ଲକ୍ଷ୍ଯ ରଖିଥିଲା । ଇଂଲଣ୍ଡ ୫୦ ଓଭରରେ ସମସ୍ତ ୱିକେଟ ହରାଇ ଏହି ସମ୍ମାନଜନକ ସ୍କୋର କରିଥିଲା । ଟସ ଜିତି ପ୍ରଥମେ ଇଂଲଣ୍ଡ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା ।
ଇଂଲଣ୍ଡର ପ୍ରାରମ୍ଭିକ ବ୍ଯାଟର ଫିଲିପ ସଲ୍ଟ ମାତ୍ର ୨୬ ରନରେ ଆଉଟ ହୋଇ ପ୍ଯାଭିଲିୟନ ଫେରିଥିଲେ । ଇଂଲଣ୍ଡର ଦୁର୍ଦ୍ଦଶ ବ୍ଯାଟର ବେନ ଡକେଟ ୬୫ ରନ କରି ଧୂଆଁଧାର ପାରି ଖେଳିଥିଲେ । ହେଲେ ରବିନ୍ଦ୍ର ଜାଡେଜାଙ୍କ ଘାତକ ବଲରେ ସେ ଆଉଟ ହୋଇ ଶତକୀୟ ପାରି ଖେଳିବାରୁ ବଞ୍ଚିତ ହୋଇଥିଲେ । ସେହିଭଳି ଟେଷ୍ଟ ଷ୍ଟାର ଜୋରୁଟ ଭାରତକୁ ଘାଇଲା କରିଥିଲେ । ସେ ୬୯ ରନର ପାଳି ଖେଳି ଇଂଲଣ୍ଡକୁ ଏକ ବିଶାଳ ସ୍କୋର ଯାଏଁ ପହଞ୍ଚାଇବାର ପ୍ରୟାସ କରିଥିଲେ । ରୁଟ୍ ମଧ୍ଯ ରବିନ୍ଦ୍ର ଜାଡେଜାଙ୍କ ବଲକୁ ପଢି ପାରି ନ ଥିଲେ । ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ମାତ୍ର ୩୪ ରନ କରି ବସ ସାଜି ପାରି ନାହାନ୍ତି । ମ୍ୟାଚରେ ହୈରୀ ବ୍ରୁକ ୩୧ ରନ କରି ପଡିଆ ଛାଡିଥିଲେ । ମ୍ଯାଚର ଶେଷ ଆଡକୁ ଇଂଲଣ୍ଡ ବ୍ଯାଟର ଲିୟମ ଲିଭିଂ ଷ୍ଟୋନଙ୍କ ପାରି ଓ ଆଦିଲ ରଶିଦଙ୍କ ଉପଯୋଗୀ ରନ ବଲରେ ଏହି ବିଶାଳ ସ୍କୋର କରିଥିଲା । ଲିୟମ ଲିଭିଂ ଷ୍ଟୋନ ମାତ୍ର ୩୨ ବଲରେ ୪୧ ରନର ଜବରଦସ୍ତ ଇନିଂସ ଖେଳିଥିଲେ । ଯେଉଁଥିରେ ୨ ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ସେପଟେ ଆଦିଲ ମାତ୍ର ୫ ବଲରେ ୧୪ ରନ କରିଥିଲେ ଓ ଇଂଲଣ୍ଡ ଏକ ବିଶାଳ ସ୍କୋର କରି ପାରିଥିଲା । ଭାରତ ପକ୍ଷରୁ ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ଯା,ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ପ୍ରକାଶଥାଉ ଯେ, ଆଜିର ମ୍ଯାଚରେ ବରୁଣ ଚକ୍ରବର୍ତ୍ତୀ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିଥିଲେ। ସ୍ପିନର ସା
ର୍ ରବିନ୍ଦ୍ର ଜାଡେଜା ୩ ଟି ୱିକେଟ ହାସଲ କରିଥିଲେ । ସେ ଇଂଲଣ୍ଡର ଅଭିଜ୍ଞ ବ୍ଯାଟର ଜୋ ରୁଟଙ୍କୁ ବିରାଟଙ୍କ ହାତରେ କ୍ଯାଚ କରାଇ ୱିକେଟ ନେଇଥିଲେ । ଭାରତୀୟ ଷ୍ଟାର ବୋଲର ମହମ୍ମଦ ସାମି ମଧ୍ଯ କେବଳ ଗୋଟିଏ ୱିକେଟ ଦାଖଲ କରି
ଥିଲେ।
ରୋଗିଣା ଟାଓ୍ଵାର୍ ଲାଇଟ୍ ଧୋକା ଦେଲା
…………………………………………………………………….
ବାରବାଟୀରେ ଦେଖାଦେଲା ଘୋର ଲଜ୍ଜାକର ପରିସ୍ଥିତି। ମ୍ୟାଚ୍ ବେଳେ ଲିଭିଗଲା ପ୍ଲଡ ଲାଇଟ୍ । ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଆଲୁଅ । ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଏହି ସମୟରେ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ ।
୩୦୫ ରନର ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ । ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ତା’ ପରେ ଖେଳ ସ୍ଵାଭାବିକ ହୋଇଛି। ଫ୍ଲଡ ଲାଇଟର ବନ୍ଦକୁ ନେଇ ସାରା ବିଶ୍ବରେ ଉଠିଲା ପ୍ରଶ୍ନ । କାହିଁକି ୨୮ ମିନିଟ୍ ଧରି କଟିଗଲା ଫ୍ଲଡ୍ ଲାଇଟ୍ ? ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ? କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ଭ୍ରମଣକାରୀ ଦଳ ଇଂଲଣ୍ଡ ସହ ମ୍ୟାଚକୁ ହାଲୁକା ଭାବେ ନିଆଯାଇଥିଲା କି ? ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ମିଳିଥିଲା ମ୍ୟାଚ୍, କିଏ କଲା ଅବହେଳା ? ପୂର୍ବରୁ ବୋତଲ ଫିଙ୍ଗା ଫୋପଡାକୁ ନେଇ ବଦନାମ୍ ହୋଇଥିଲା ବାରବାଟୀ । ଏବେ ଇଣ୍ଡିଆ-ଇଂଲଣ୍ଡ ଟକ୍କର ବେଳେ କାହିଁକି ଅନ୍ଧାର ହେଲା ଷ୍ଟାଡିୟମ୍ ? କ୍ରିକେଟ ଇତିହାସରେ ଯୋଡ଼ିହେଲା ବାରବାଟୀ କଳଙ୍କ । ରୋହିତଙ୍କ ଦମଦାର ପ୍ରଦର୍ଶନ ବେଳେ କଟିଗଲା ଲାଇଟ୍ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଦର୍ଶକ, ସମସ୍ତଙ୍କ ମନରେ କ୍ଷୋଭ । ଓଡ଼ିଶାର ସମ୍ମାନ ବିଶ୍ବ ଦରବାରରେ କାହିଁକି ହେଲା ଅବନମିତ ?
ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ ହେବାର ମାତ୍ର ୬ ଓଭର ଗୋଟିଏ ବଲ ପଡିଥିବା ବେଳେ ଏଭଳି ଘଟିଛି। ହଠାତ ଦିନ ଭଳି ଝଲସୁ ଥିବା ପଡିଆ ଭିତରେ କେହି କିଛି ବୁଝିବା ଆଗରୁ ଲାଇଟ ଧପ ଧପ ହୋଇଥିଲା ଓ ସମସ୍ତେ ଭାବିଥିଲେ ଯେ ହୁଏତ ବିଦ୍ୟୁତ ସରବରାହରେ କୌଣସି ସାମାନ୍ୟ ତ୍ରୁଟି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଇଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।ବ୍ୟାଟ୍ସମ୍ୟାନ ମଧ୍ୟ ବଲ ଦିଶୁନ ଥିବା ଅଭିଯୋଗ କରିଥିଲେ। ରୋହିତ ଶର୍ମା ୨୯ ଓ ଶୁଭମନ ଗିଲ ୧୭ ରନ କରି ଖେଳୁଥିବା ବେଳେ ଫ୍ଲଡ ଲାଇଟ୍ରେ ସମସ୍ୟା ଦେଖା ଦେଇଥିଲା ଓ ପରେ ଜଣାପଡିଲା ଯେ କ୍ଲବ ଟାଓ୍ୱାର ଲାଇଟ୍ କାମ କରୁନାହିଁ। ଏଭଳି ଅଭାବନୀୟ ସ୍ଥିତି ବାରବାଟୀ ଓ ବିଶେଷ ଭାବେ ଓଡିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଏକଦିବସୀୟ ଖେଳା ଯାଉଥିବା ବେଳେ ଏ ପ୍ରକାର ତ୍ରୁଟି ଯୋଗୁ ଆଗାମୀ ଦିନରେ ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ତ୍ରୁଟି ପାଇଁ ଓଡିଶା କ୍ରିକେଟ ସଙ୍ଘ କୌଣସି ବିବୃତି ଦେଇ ନାହିଁ।
ଡିଜେ ଶବ୍ଦରେ ବିଗିଡିଗଲେ ରୋହିତ
……………………………………………………………………
କେବଳ ଲାଇଟ ବିଭ୍ରାଟ ନୁହେଁ, ଷ୍ଟାଡିୟମରେ ବାଜୁଥିବା ଡିଜେ ‘ ର କର୍ଣ୍ଣକଟୂ ଉଚ୍ଚାଙ୍ଗ ଶବ୍ଦରେ ବିଚଳିତ ହୋଇ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଘୋର ବିରକ୍ତି ପ୍ରକାଶ କରିଥିଲେ। ସେତେବେଳେ ସେ ବ୍ୟାଟିଙ୍ଗ କରୁଥିଲେ। ଏହା ଲାଇଟ୍ ବିଭ୍ରାଟ ପରର କଥା। ଏହି ଡିଜେ ଶବ୍ଦ ତାଙ୍କ ବ୍ୟାଟିଙ୍ଗ ଏକାଗ୍ରତା କୁ ଭଙ୍ଗ କରୁଥିବାରୁ ରୋହିତ ବିରକ୍ତଭରା ଉଚ୍ଚ ଶବ୍ଦରେ ହିନ୍ଦୀରେ ” ମ୍ୟୁଜିକ୍ ବନ୍ଦ୍ କରୋ ” ବୋଲି କହିଥିଲେ। ବାରବାଟୀରେ ଟିକଟ ବିକ୍ରୟ ଦିନରୁ ନେଇ ଖେଳ ଦିନଯାଏ ଏହି ପରି ବିଭିନ୍ନ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା