
ଭାରତ ଏକ ନିଶ୍ଚିତ ଫଲୋଅନ ଆଡ଼କୁ ଗତି କରୁଥାଏ ମେଲବୋର୍ଣ୍ଣ ଠାରେ ଅଷ୍ଟ୍ରେଲିଆ ବିରୋଧରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟର ଆଜି ତୃତୀୟ ଦିବସରେ। ଆଜିର ଖେଳ ଆରମ୍ଭ ସମୟରେ ଭାରତର ସ୍କୋର ଥାଏ ୬ ଉଇକେଟ ବିନିମୟରେ ୧୬୪ ରନ୍ ଫଲୋଅନ ଏଡାଇବାକୁ ଭାରତ ଦରକାର କରୁଥାଏ ଆଉ ୧୧୧ ରନ୍ ଏବଂ ହାତରେ ଥାଏ ମାତ୍ର ୩ ଟି ୱିକେଟ। କ୍ରିଜରେ ଥାଆନ୍ତି ଖାସ୍ ଭରସାଯୋଗ୍ୟ ନ ଥିବା ଦୁଇ ବ୍ୟାଟର୍ ନୀତିଶ କୁମାର ରେଡ୍ଡୀ ଓ ଓ୍ଵାଶିଙ୍ଗଟନ ସୁନ୍ଦର। ଏଣୁ ଭାରତ ଫଲୋଅନ ହେବା ପ୍ରାୟ ନିଶ୍ଚିତ ମନେହେଉଥାଏ।
କିନ୍ତୁ ଏହି ଦୁଇ ବ୍ୟାଟର୍ ଏପରି ବ୍ୟାଟିଙ୍ଗ କଲେ, ଯେପରି କି ଦୁହେଁ ଦୁଇ ପୋଖତ ବ୍ୟାଟର୍। ଦୁହିଁଙ୍କ ମଧ୍ୟରେ ହେଲା ଅବିଶ୍ଵସନୀୟ ୧୨୭ ରନର ପାର୍ଟନର୍ ସିପ୍ ଭାରତକୁ ଏହି ବିପଦରୁ ଉଦ୍ଧାର କରି ସ୍କୋର୍ ବୋର୍ଡକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି। ଖେଳ ଶେଷ ହେଲାବେଳକୁ ଭାରତ ୯ ଉଇକେଟ ବିନିମୟରେ ୩୫୮ ରନ୍ କରିଥିଲା। ରେଡ୍ଡୀ ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଥମ ଶତକ ଅର୍ଜ୍ଜନ କରି ୧୦୫ ରନରେ ଅପରାଜିତ ଥିଲେ। ସିରାଜ ୨ ରନ୍ କରି ଅପରାଜିତ ଅଛନ୍ତି। ଭାରତ ଏବେ ବି ଅଷ୍ଟ୍ରେଲିଆ ଠାରୁ ୧୧୬ ରନ୍ ପଛରେ ଅଛି।
ଆଜିର ଖେଳରେ ଭାରତ ଦଳଗତ ସ୍କୋର୍ ୨୨୧ରେ ତାହାର ୭ମ ଉଇକେଟ ହରାଇ ବ୍ୟାଟିଙ୍ଗ ବିପର୍ଯ୍ୟୟର ସହିତ ନିଶ୍ଚିତ ଫଲୋଅନ ଆଡ଼କୁ ଅଗ୍ରସର ହୋଇଥିଲା। କିନ୍ତୁ ୮ ମ ଉଇକେଟ ଯୋଡ଼ିବେ ରେଡ୍ଡୀ ଓ ଓ୍ଵାଶିଙ୍ଗଟନ ସୁନ୍ଦର ଅସୀମ ଧୈର୍ଯ୍ୟ ଆଉ ଏକାଗ୍ରତାର ସହିତ ବ୍ୟାଟିଙ୍ଗ କରି ୧୨୭ ରନର ଭାଗିଦାରୀ କରି ଦଳକୁ ଏକ ସୁବିଧାଜନକ ସ୍ଥିତିରେ ନେଇ ପହଞ୍ଚାଇଥିଲେ। ଏହି ସମୟରେ ସୁନ୍ଦର ଅର୍ଦ୍ଧ ଶତକ ଲାଭ କରି ବ୍ୟକ୍ତିଗତ ସ୍କୋର୍ ଠିକ୍ ୫୦ ରନ୍ ରେ ଆଉଟ୍ ହୋଇଥିଲେ। ଏହାପରେ ବୁମରାହ କୈାଣସି ରନ୍ ନ କରି ଆଉଟ ହୋଇଥିଲେ। ଏହା ପୂର୍ବରୁ ଆଜି ଋଷଭ ପନ୍ଥ ୨୮ ଆଉ ରବିନ୍ଦ୍ର ଯାଦେଜା ୧୭ ରନ୍ କରିଥିଲେ।
ରେଡ୍ଡୀଙ୍କ ଏହି ଶତକୀୟ ଇନିଙ୍ଗ୍ସ ଦେଖିବା ଭଳି ବେଶ୍ ଦର୍ଶନୀୟ ହୋଇଥିଲା। ସେ ଆକ୍ରମଣାତ୍ମକ ଶୈଳୀରେ ବତାସି ବ୍ୟାଟିଙ୍ଗ କରି ୧୬୭ ବଲ୍ ଖେଳି ୧୦ ଟି ଚୌକା ଆଉ ଗୋଟିଏ ଛକା ମାରିଥିଲେ ।ଚଳିତ ସିରିଜରେ ୪ ଟି ଟେଷ୍ଟ ମ୍ୟାଚର ଦୁଇ ଦଳ ମଧ୍ୟରେ ସର୍ବାଧିକ ସଂଖ୍ୟକ ୮ ଟି ଛକା ମାରି ପ୍ରଥମ ସ୍ଥାନରେ ଅଛନ୍ତି। ରେଡ୍ଡୀ ଶତକ ଲାଭ କରିବା କ୍ଷଣି ପିଚ୍ ଉପରେ ବସି ବ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ବେକ ତଳେ ହାତ ଘୁରେଇ ନିଜ ଟେଷ୍ଟ ଜୀବନର ସର୍ବ ପ୍ରଥମ ଶତକ ଲାଭର ଉତ୍ସବ ମନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଏବଂ ବେଲାଣ୍ଡ ୩ ଟି କରି ଆଉ ନାଥାନ ଲିଓନ ୨ ଟି ଉଇକେଟ ଦଖଲ କରିଥିଲେ